କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌

କାଗଜ-ବିହୀନ କାର୍ଯ୍ୟାଳୟ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ୨୦ ବର୍ଷ ଧରି କେନ୍ଦ୍ର ସରକାର ବଜେଟରେ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରି ସୁଦ୍ଧା ଦେଶରେ କାଗଜବିହୀନ କାର୍ଯ୍ୟାଳୟ ସମ୍ଭବ ହୋଇ ପାରି ନାହିଁ । ବରଂ କାଗଜ ଖଣ୍ଡେ ପାଇଁ ଅଥବା କାଗଜ ଖଣ୍ଡେ ଧରି ନାଗରିକମାନେ ରୋଜ୍ ଧାଉଁଛନ୍ତି ସରକାରୀ କାର୍ଯ୍ୟାଳୟକୁ । ବିଭିନ୍ନ କାମ ପାଇଁ ଲୋକେ ଯେତେ ମାତ୍ରାରେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବେ, ସରକାରୀ ହାକିମହୁକୁମାଙ୍କ ପକେଟ୍ ସେତିକି ଗରମ ହେବ । ଅର୍ଥାତ୍ ଦୁର୍ନୀତି ବଢ଼ିବ । ଆଉ କାହିଁକି ଏପରି ଚାଲିଛି ତାହାର କିଛି ଗୁରୁତ୍ୱପୂର୍ଣ କାରଣ ଦର୍ଶାଇଛୁ ଏଠାରେ :-

କାଗଜବିହୀନ କାର୍ଯ୍ୟାଳୟ ଅର୍ଥ, e-Governance ବା ଇ-ଶାସନ; ଯାହାକୁ କୁହାଯାଉଛି ଇଂଟରନେଟ୍ ଆଧାରିତ ଶାସନ । ଅର୍ଥାତ୍ ଲୋକମାନେ ନିଜ ଘରେ ବସି ସରକାରୀ କାର୍ଯ୍ୟାଳୟ ବା ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ ଏବଂ ବିଭିନ୍ନ ସେବା, ସୁବିଧା ପାଇ ପାରିବେ । କିନ୍ତୁ ଇ-ଶାସନ ସଂପୂର୍ଣ ହୋଇ ନଥିବାରୁ ଏହା ସମ୍ଭବ ହୋଇ ପାରୁ ନାହିଁ । ସଫଳ ଇ-ଶାସନର ଦୁଇଟି ଉଦାହରଣ ଦେଲେ ପାଠକେ ଠିକ୍ ବୁଝିବେ । ରାଜ୍ୟରେ ଜମିବାଡ଼ିର ମାଲିକାନା ଓ ପଟ୍ଟା ସବୁର ତଥ୍ୟ ଇଂଟରନେଟରେ ପାଇ ହେଉଛି ସେହି ଆପ୍ଲିକେସନକୁ କୁହାଯାଉଛି ଭୂଲେଖ । ସେହିଭଳି କଲେଜରେ ନାମଲେଖାଇବା ପାଇଁ ଆଉ କାଗଜ ଫର୍ମ ପକାଇ ଭାଗ୍ୟକୁ ଆଦରି ଡାକବାଲାକୁ ଜଗିବାକୁ ପଡୁ ନାହିଁ । ତୁରନ୍ତ ନିଜ ପସନ୍ଦର କଲେଜରେ ପଢ଼ିବାର ସୁଯୋଗ ନେଇ ହେଉଛି । ଏହି ଆପ୍ଲିକେସନକୁ କୁହାଯାଉଛି ଇ-ଆଡ୍‌ମିଶନ୍‌ । ଏବେ ନଜର ପକାଇବା ଓଡ଼ିଶାରେ ଇ-ଶାସନ କାହିଁକି ଓ କେଉଁଠି ଲଟକି ରହିଛି, ତହିଁର କାରଣଗୁଡ଼ିକ ଉପରେ:-

ଇ-ଶାସନ ପାଇଁ କଂପ୍ୟୁଟରର ପ୍ରୟୋଗ ହୋଇଥାଏ । କିନ୍ତୁ ଓଡ଼ିଶାରେ ଅଧିକାରୀ(ଅଫିସର)ମାନେ କଂପ୍ୟୁଟରକୁ ଏବେ ବି ଟାଇପରାଇଟରର ବିକଳ୍ପ ବୋଲି ବିବେଚନା କରି ତାହାଠୁ ଦୂରେଇ ରହୁଛନ୍ତି । କଂପ୍ୟୁଟର ଚଳାଇବା ପାଇଁ କେବଳ ଡାଟା ଏଂଟ୍ରି ଅପରେଟର ବା ଡିଇଓ(Data Entry Operator)ମାନେ ରହିଛନ୍ତି । ଏପରିକି କିରାଣୀମାନେ ମଧ୍ୟ କଂପ୍ୟୁଟର ଛୁଉଁ ନାହାନ୍ତି। କଂପ୍ୟୁଟର ଛୁଉଁ ନଥିବା ସରକାରୀ ବାବୁମାନେ ଜାଣନ୍ତି ଯେ ଶାସନର କଂପ୍ୟୁଟରୀକରଣ ବା ଇଂଟରନେଟୀକରଣ ହୋଇଗଲେ, ସେମାନଙ୍କ ଉପୁରି ଆୟର ବାଟ ବନ୍ଦ ହୋଇଯିବ । ଲୋକମାନେ ତାଙ୍କ ଦପ୍ତରକୁ ଆସି ଆଉ ନେହୁରା ହେବେ ନାହିଁ କି ତୁରନ୍ତ କାମ ହୋଇଯିବା ପାଇଁ ଲାଂଚ ଯାଚିବେ ନାହିଁ । ଫଳରେ ବାବୁମାନଙ୍କ ଖାତିର କମିଯିବ ।

ରାଜ୍ୟ ବ୍ୟବସ୍ଥାପିକା ଚାହିଲେ କାଗଜବିହୀନ କାର୍ଯ୍ୟାଳୟ ସମ୍ଭବ ହୋଇପାରିବ । କିନ୍ତୁ ଉପଯୁକ୍ତ ତାଲିମ ଓ ଶିକ୍ଷା ଅଭାବରୁ ବ୍ୟବସ୍ଥାପିକା ସଭାର ପ୍ରତିନିଧି ତଥା ମନ୍ତ୍ରୀମାନେ ଏହାକୁ ଅଣଦେଖା କରି ଚାଲିଛନ୍ତି । କାଗଜ ଫାଇଲ୍‌ ଉପରେ ଦସ୍ତଖତ କରି ସ୍ୱୀକୃତି ବା ଅନୁମୋଦନ ଜାହିର କରିବାରେ ମନ୍ତ୍ରୀ ବା ହାକିମମାନେ ଯେଉଁ ଆତ୍ମସନ୍ତୋଷ ଓ ଗର୍ବ ଅନୁଭବ କରନ୍ତି, କଂପ୍ୟୁଟର ବା ଇଂଟରନେଟରେ ସେଭଳି ଅନୁଭବ ମିଳିବ ନାହିଁ ବୋଲି ଧାରଣା ରହିଛି । କେନ୍ଦ୍ର ସରକାର କ୍ରମାଗତ ଭାବରେ ଶହଶହ କୋଟି ଟଙ୍କାର ଅନୁଦାନ ପ୍ରତିବର୍ଷ ଦେଉଛନ୍ତି ଇ-ଶାସନ ପାଇଁ । କିନ୍ତୁ ରାଜ୍ୟ ସରକାର ଏଣୁତେଣୁ ଖର୍ଚ ଦେଖାଇ ତାହାକୁ ସ୍ୱାହା କରି ଦେଉଛନ୍ତି । ମଝିରେ ମଝିରେ କେନ୍ଦ୍ରୀୟ ତାଗିଦ୍ ଆସିଲେ, ରାଜ୍ୟରେ ବସିଥିବା କିଛି ଧୂର୍ତ ବିଶାରଦଙ୍କ ଜରିଆରେ ଆତ୍ମରକ୍ଷା କୌଶଳ ଅବଲମ୍ବନ କରି ଖସି ଯାଉଛନ୍ତି ।

ଯେତିକି ବି ଇ-ଗଭର୍ନାନ୍‌ସ  ପ୍ରୟାସ ଚାଲିଛି, ସେଥିପାଇଁ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କିରାଣୀମାନଙ୍କର ପ୍ରଶିକ୍ଷଣ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି । ହେଲେ ତାହା କେବଳ ଶ୍ରେଣୀଗୃହ ଆଧାରିତ ପ୍ରଶିକ୍ଷଣ ହୋଇଥିବାରୁ ଭୋଜିଭାତରେ ସୀମିତ ରହିଯାଉଛି, ବାସ୍ତବରେ କୌଣସି ପ୍ରଭାବ ପକାଉ ନାହିଁ । Gopabandhu Academy of Administration (ଗୋପବନ୍ଧୁ ପ୍ରଶାସନ ଏକାଡେମୀ), Madhusudan Academy of Accountancy (ମଧୁସୂଦନ ଏକାଡେମୀ ଅଫ୍ ଆକାଉଁଟାନ୍ସୀ), Revenue Officers' Training Institute (ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ - ROTI)  ଓକାକ୍ (Odisha Computer Application Centre) ଆଦି ସରକାରୀ ଅନୁଷ୍ଠାନରେ କେବଳ ଶ୍ରେଣୀଗୃହ ଆଧାରିତ ପ୍ରଶିକ୍ଷଣ ଦିଆଯାଉଛି । ୨୦୧୪-୧୫ରେ ଚାକିରିରୁ ଅବସର ନେବାକୁ ଥିବା ସବୁ ସରକାରୀ ଅମଲାଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ବଢ଼ାଇ ଦେଇ ରାଜ୍ୟ ସରକାର ଏକ ଗୁରୁତର ତ୍ରୁଟି କରିଛନ୍ତି । ଫଳରେ ଆଉ ଦୁଇ ବର୍ଷ ପର୍ଯନ୍ତ ରାଜ୍ୟରେ ଇ-ଗଭର୍ନାନ୍ସ ଆଗେଇ ପାରିବ ନାହିଁ । ରାଜ୍ୟରେ ନୂତନ ନିଯୁକ୍ତିର କୌଣସି ସମ୍ଭାବନା ଦିଶୁ ନଥିବା ବେଳେ କଂପ୍ୟୁଟର-ସାକ୍ଷର ବେକାରମାନେ କ’ଣ କରିବେ, ତାହା ଆଉ ଏକ ପ୍ରଶ୍ନ ହୋଇ ଯାଇଛି। ୧୯୯୩ରେ ତାମିଲନାଡୁରେ ସଂପୂର୍ଣ କଂପ୍ୟୁଟର ସାକ୍ଷର ଅଭିଯାନ ଆରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ହେଲେ ୨୦୧୩ ମସିହା ସୁଦ୍ଧା ଓଡ଼ିଶା ସରକାର ଏଭଳି କୌଣସି ଚିନ୍ତା କରି ନାହାନ୍ତି । ତେଣୁ ସ୍ୱଚ୍ଛ ଇ-ପ୍ରଶାସନ ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି କଥା ହୋଇଛି ।

ଇ-ଶାସନ କାର୍ଯ୍ୟକାରୀ କରିବାର ନୋଡ଼ାଲ ବିଭାଗ ହେଉଛି ସୂଚନାପ୍ରଯୁକ୍ତି ବିଭାଗ । କିନ୍ତୁ ଜାଣି ଜାଣି କିଛି ଅଜ୍ଞ ବ୍ୟକ୍ତିଙ୍କୁ ଗତ ୨୦ ବର୍ଷ ଧରି ବିଭାଗୀୟ ମନ୍ତ୍ରୀପଦ ଓ ସଚିବ ପଦ ଦିଆଯାଉଛି । ରାଜ୍ୟରେ ଇ-ଶାସନକୁ ଆଗେଇ ନେବା ପାଇଁ ପ୍ରତି ରାଜ୍ୟରେ ରହିଛି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ବା National Informatics Centre (NIC), ଯାହାକି କେନ୍ଦ୍ର ସରକାରଙ୍କ ଏକ ସ୍ୱୟଂଶାସିତ ସଂଗଠନ ଏବଂ ଏଥିରେ କାର୍ଯ୍ୟରତ ଅଧିକାରୀଙ୍କ ପଦଗୁଡ଼ିକ ସାଧାରଣତଃ Scientist । କିନ୍ତୁ ଏହି ସାଇଣ୍ଟିଷ୍ଟ୍‌ମାନେ ରାଜ୍ୟର ବିଭାଗୀୟ ମୁଖ୍ୟ ତଥା ବିଭାଗୀୟ ମନ୍ତ୍ରୀ ପ୍ରବରଙ୍କୁ ପ୍ରବର୍ତାଇବାରେ ବିଶେଷ ଧ୍ୟାନ ଦେଇ ନାହାନ୍ତି । 

ଇ-ଶାସନର ପ୍ରଥମ ପାହାଚ ହେଉଛି ଇମେଲ୍ ବ୍ୟବହାର। ଯାହାକି nic.in ବା gov.in ଡୋମେନରେ ନିଶ୍ଚିତ ରହିବ। କିନ୍ତୁ ଏହି ଇମେଲ୍ ସେବା ପ୍ରଦାନ କରୁଥିବା NICର କେତେକ ଆଳୁଦୋଷ ଯୋଗୁ ଯେଉଁ କେତୋଟି କାର୍ଯ୍ୟାଳୟ ବ୍ୟବହାର କରୁଛନ୍ତି, ସେମାନେ ଅସୁବିଧାରେ ପଡୁଛନ୍ତି। ତେଣୁ ଅନ୍ୟ କାର୍ଯ୍ୟାଳୟ ବା ରାଜ୍ୟ ସରକାରଙ୍କ ଅଧିକାରୀମାନେ ସରକାରୀ ଇମେଲ୍ ବ୍ୟବହାର ପାଇଁ ମନ ନବଳାଇ Gmail, Yahoomail ବା Hotmail ମାୟାରେ ପଡ଼ି ରହିଛନ୍ତି। ଯେତିକି ସରକାରୀ ଇମେଲ୍ ଆଇଡି ରହିଛି, ସେଠାକୁ ଇମେଲ୍ ଦେଲେ କୌଣସି ଜବାବ ମିଳେ ନାହିଁ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ କେତେକ ଇମେଲର ଇନବକ୍ସକୁ କୌଣସି ଅଧିକାରୀ ଦୂରେ ଥାଉ, କେହି କିରାଣୀ (ଡିଇଓ ବା ଡାଟା ଏଂଟ୍ରି ଅପରେଟର) ମଧ୍ୟ ଖୋଲନ୍ତି ନାହିଁ । ଯଦିବି ଖୋଲନ୍ତି, ତେବେ ଜବାବ ଦେବାର କୌଣସି ପରମ୍ପରା ରାଜ୍ୟରେ ନାହିଁ । ଓଡ଼ିଶାରେ ସରକାରୀ ବାବୁମାନେ ସାଧାରଣ ନାଗରିକମାନଙ୍କୁ ଶାସନ ପ୍ରକ୍ରିୟାରେ ପ୍ରତିବନ୍ଧକ ବୋଲି ବିବେଚନା କରନ୍ତି । 

ଇ-ଗଭର୍ନାନସ୍‌ର ଦ୍ୱିତୀୟ ପାହାଚ ହେଉଛି ୱେବ୍‌ସାଇଟ୍ । କିନ୍ତୁ ଓଡ଼ିଶା ପ୍ରଶାସନ ଜାଣିଜାଣି କେବଳ ଇଂଲିଶରେ ୱେବ୍‌ସାଇଟ୍ କରିଛନ୍ତି ଏବଂ ସେଥିରେ ରହିଥିବା ତଥ୍ୟଗୁଡ଼ିକ ଅପ୍‌ଡେଟ୍ ହେଉ ନାହିଁ। ଏହା ଉପରେ ଗଣମାଧ୍ୟମରେ ନିରନ୍ତର ଭାବେ ଖବର ବାହାରୁଥିଲେ ସୁଦ୍ଧା ପ୍ରଶାସନ ସୁଧୁରୁ ନାହିଁ । ୱେବ୍‌ସାଇଟ୍ କଣ୍ଟେଣ୍ଟ୍‌ ପରିଚାଳନା ସବୁଠୁ ଗୁରୁତ୍ୱପୂର୍ଣ ହୋଇଥିଲେ ସୁଦ୍ଧା ରାଜ୍ୟସ୍ତରରେ ଏହି କାମ ପାଇଁ କୌଣସି Cadre ସୃଷ୍ଟି ହୋଇ ନାହିଁ । ବରଂ ଏହି କାମକୁ ଘରୋଇ କମ୍ପାନୀ ହାତରେ ଟେକି ଦିଆଯାଇଛି । ଦାୟିତ୍ୱ ନେଇଥିବା ଅନେକ କମ୍ପାନୀ କଣ୍ଟେଣ୍ଟ୍‌ ପରିଚାଳନା ପାଇଁ ବସ୍ତୁତଃ କୌଣସି କାମ କରୁ ନାହାନ୍ତି, ଅଥବା ଅଯୋଗ୍ୟ କର୍ମଚାରୀମାନଙ୍କ ହାତରେ ତାହାକୁ ଛାଡ଼ି ଦେଇଛନ୍ତି। ସବୁ ସରକାରୀ ୱେବ୍‌ସାଇଟ୍ ବା ୱେବ୍ ଆଧାରିତ ସେବାଗୁଡ଼ିକ ନିୟମତଃ gov.in ଡୋମେନରେ ରହିବା କଥା । କିନ୍ତୁ ରାଜ୍ୟ ସ୍ତରରେ ସଂପୃକ୍ତ ଅଧିକାରୀମାନେ ଅନ୍ୟ ଡୋମେନ୍‌ରେ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ସହିତ ସେଗୁଡ଼ିକର ବୈଧାନିକ ସିକ୍ୟୁରିଟି ଅଡିଟ୍ କରାଉ ନାହାନ୍ତି । ଫଳରେ କେତେକ ଗୁରୁତ୍ୱପୂର୍ଣ ୱେବ୍‌ସାଇଟ୍ ବା ୱେବ୍ ସେବା ହ୍ୟାକିଂର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି।
    ଓଡ଼ିଆ ଭାଷାରେ ସରକାରୀ ୱେବ୍‌ସାଇଟ୍ ନାହିଁ। ଏହି କାରଣରୁ ମଧ୍ୟ ସାଧାରଣ ଲୋକେ ୱେବ୍-ମନସ୍କ ହେଉ ନାହାନ୍ତି । ଇଣ୍ଟରନେଟ୍‌ରେ ଓଡ଼ିଆ ପାଠ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ରାଜ୍ୟରେ ପେସାଦାରମାନଙ୍କର ଅଭାବ ବଢ଼ି ଚାଲିଛି । କାରଣ ଓଡ଼ିଆ ଭାଷା ଏକ ରୋଜଗାରିଆ ଭାଷା ନୁହେଁ ବୋଲି ଏକ ଅଘୋଷିତ ବାର୍ତା ପ୍ରସାର ଲାଭ କରୁ ଥିବାରୁ ଅଧିକରୁ ଅଧିକ ଶିକ୍ଷିତ ବେକାର ହୁଏତ ଇଂଲିଶ୍‌ରେ ପାଠ ପଢ଼ିଛନ୍ତି, ନଚେତ୍ ଅନ୍ୟ ଓଡ଼ିଆ-ମାଧ୍ୟମର ଶିକ୍ଷିତମାନେ ଇଂଲିଶ୍‌ ଦକ୍ଷତା ବଢ଼ାଇବା ପାଇଁ ଯଥେଷ୍ଟ ସମୟ ଓ ସମ୍ବଳ ବ୍ୟୟ କରୁଛନ୍ତି ।

    ଇ-ଗଭର୍ନାନ୍‌ସ୍‌କୁ ରାଜ୍ୟରେ ଆଗେଇ ନେବା ପାଇଁ ରାଜ୍ୟର ସୂଚନାପ୍ରଯୁକ୍ତି ବିଭାଗର ଏକ ନୋଡାଲ ଏଜେନ୍ସି ରହିଛି, ଯାହାର ନାମ Odisha Computer Application Centre (ଓକାକ୍) । ହେଲେ, ଏହି ସଂସ୍ଥା ନାମକୁ ମାତ୍ର ରହିଛି । ଯେତେ ପରିମାଣରେ ଅର୍ଥ ବ୍ୟୟ ହେଉଛି, ସେହି ଅନୁସାରେ ଏହି ରାଜ୍ୟସ୍ତରୀୟ ସରକାରୀ ସଂସ୍ଥାର ରାଜ୍ୟ ପାଇଁ ଖାସ୍ କିଛି ଅବଦାନ ନାହିଁ । ଓଡ଼ିଆରେ ଇ-ଗଭର୍ନାନ୍‌ସ୍‌ ସୁନିଶ୍ଚିତ କରିବା ପାଇଁ ୧୮ ବର୍ଷ ତଳୁ ଏହି ସଂସ୍ଥା ଦାୟିତ୍ୱ ମୁଣ୍ଡାଇଥିଲେ ବି କୌଣସି ଆଖିଦୃଶିଆ କାମ କରି ନାହିଁ।

    ଗଣମାଧ୍ୟମବାଲା ଏହି ଯନ୍ତ୍ରପାତି କଥାରେ ବେଶି ମୁଣ୍ଡ ନଖେଳାଇବାରୁ ଇ-ଗଭର୍ନାନ୍‌ସ୍ କ୍ଷେତ୍ରରେ ଚାଲିଥିବା ବେଧଡ଼କ୍ ଦୁର୍ନୀତି ଉପରେ ମଧ୍ୟ ସାଧାରଣ ଲୋକେ ଅବଗତ ହେଉ ନାହାନ୍ତି । ଇ-ଗଭର୍ନାନ୍ସକୁ ଚଳିତଶତାବ୍ଦୀରେ ମୋବାଇଲ୍ ଗଭର୍ନାନ୍‌ସ୍‌ ବା ଏମ୍-ଗଭର୍ନାନ୍‌ସ୍‌ ରୂପେ ଅଭିହିତ କରାଯାଉଛି । କାରଣ ଯେତିକି ନାଗରିକଙ୍କ ପାଖରେ କଂପ୍ୟୁଟର ଅଛି, ତାହାଠୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ରହିଛି । କିନ୍ତୁ ଏହାକୁ ଆପଣାଇବାରେ ମଧ୍ୟ ରାଜ୍ୟ ସରକାର ବହୁତ ଅବହେଳା କରିଛନ୍ତି ।

    ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର କାରଣରୁ ‘ମୋବାଇଲ୍ ଆପ୍’ କୁ mGovernance ରୂପେ ପ୍ରୟୋଗ କରାଯାଉଛି । ଏବେ ସୁଦ୍ଧା ଅଳ୍ପ କେତୋଟି ମୋବାଇଲ୍ ଆପ୍ ପ୍ରଚଳନ କରାଯାଇଥିବା କୁହାଯାଉଥିଲେ ବି ସେଗୁଡ଼ିକ ପୂର୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ । ସବୁଗୁଡ଼ିକ କେବଳ ଇଂଲିଶ୍ ଭାଷାରେ ପ୍ରସ୍ତୁତ ହୋଇଛି । ଇ-ଗଭର୍ନାନ୍‌ସ୍‌ ସଫଳ ନହେବା ପଛରେ କେନ୍ଦ୍ର ସରକାରଙ୍କର କେତେକ ନୀତିଗତ ତ୍ରୁଟି ରହିଛି । ବଡ଼ ସମସ୍ୟା ହେଉଛି, ଇଂଟରନେଟ୍ ସଂଯୋଗ ହାସଲର ସମସ୍ୟା। ଏତେ ବର୍ଷ ଧରି ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ (ଭାରତ ସଂଚାର ନିଗମ ଲିମିଟେଡ଼୍) ଉପରେ ଭରସା କରି ଶେଷରେ ସରକାର ଇଂଟରନେଟ୍ ସଂଯୋଗ ସୁନିଶ୍ଚିତ କରିବାରେ ବିଫଳ ହୋଇଛି । ତେଣୁ ୩ ବର୍ଷ ହେଲା କେବଳ ଅପ୍ଟିକ୍ ଫାଇବର୍ କେବୁଲରେ ଇଂଟରନେଟ୍ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଆଉ ଏକ ସରକାରୀ କମ୍ପାନୀ ଗଢ଼ା ହୋଇଛି - BBNL (Bharat Broadband Nigam Limited) । ଏହା ହେଉଛି ଦୂରସଂଚାର ବିଭାଗର ଏକ ଏସ୍‌ପିଭି (Special Purpose Vehicle)। ଏଥିରେ ମଧ୍ୟ ସେହି ବିଏସ୍ଏନ୍ଏଲ୍‌ର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଆଣି ଅବସ୍ଥାପିତ କରାଯାଇଥିବାରୁ ନୂଆ ବୋତଲରେ ପୁରୁଣା ମଦ ଭଳି କଥା ହୋଇଛି । କେହି ମୁଣ୍ଡ ଖଟାଇ ଓ ଦାୟିତ୍ୱ ମୁଣ୍ଡାଇ କାମ କରାଇବା ଅପେକ୍ଷା ଗୋଟାପଣେ ଠିକାଦାର ଉପରେ ନିର୍ଭରଶୀଳ ହେଉଛନ୍ତି । କେବୁଲ ପୋତିକରି ନେବା ପାଇଁ କୌଣସି ଧାର୍ଯ୍ୟ ମାର୍ଗ ନାହିଁ । ତେଣୁ ସମସାମୟିକ ଭାବେ ଦେଶରେ ରାଜପଥ ବିକାଶ ଓ ପ୍ରଶସ୍ତୀକରଣ କାମ ଚାଲିଥିବାରୁ ଭଳିକିଭଳି ଆର୍ଥମୋଭର ମେସିନ୍ କେବୁଲକୁ ଉପାଡ଼ି ପକାଉଛି । ତେଣେ ବି.ବି.ଏନ୍‌.ଏଲ୍‌.ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା NOFN (National Optic Fibre Network) କାର୍ଯ୍ୟ ମଧ୍ୟ ଗୋଟା ପଣେ ଶିଥିଳ ପଡ଼ିଯାଇଛି ବା ଆଦୌ ଚାଲୁ ନାହିଁ ।

    ଇଂଟରନେଟ୍ ସଂଯୋଗର ସବୁଠୁ ଭଲ ମାର୍ଗ ହେଉଛି, ଅତ୍ୟାଧୁନିକ 3G ବା 4G ଜ୍ଞାନକୌଶଳ । କିନ୍ତୁ ସରକାର କେବଳ ସ୍ପେକ୍ଟ୍ରମ୍ ନିଲାମରୁ ଲାଭ ଉଠେଇବା ଲକ୍ଷ୍ୟରେ ଦେଶର ମୂଳ ହିତକୁ ଭୁଲି ଯାଇ ତହିଁର ନିଲାମ ଉପରେ ମାତ୍ରାଧିକ ଦର କଷୁଛନ୍ତି। ତେଣେ ଇଂଟରନେଟ୍ ଯୋଗାଯୋଗ ପାଇଁ ହଜାରହଜାର କୋଟି ଟଙ୍କା ପାଣି ଭଳି ଖର୍ଚ ହୋଇ ସୁଦ୍ଧା ଫଳ ଶୂନ । ଗ୍ରାମାଂଚଳରେ ଥିବା ଅନେକ ମୋବାଇଲ୍ ଟାୱାରରେ ଇଂଟରନେଟ୍ ସୁବିଧା ନାହିଁ। କେବଳ Airtel ନିଜକୁ ସ୍ମାର୍ଟଫୋନ୍ ନେଟ୍‌ୱର୍କ ଘୋଷଣା କରିବା ସହ ୯୫ ଭାଗ ଟାୱାରରେ ଇଂଟରନେଟ୍ ସୁବିଧା ଉପଲବ୍ଧ କରାଉଛି । ଦୁର୍ଭାଗ୍ୟପୂର୍ଣ କଥା ହେଲା, ସରକାରୀ କମ୍ପାନୀ ବିଏସ୍ଏନ୍ଏଲ୍‌ର ମଧ୍ୟ ସବୁ ଟାୱାରରେ ଇଂଟରନେଟ୍ ସୁବିଧା ନାହିଁ ।

    ଓଡ଼ିଶାର ସବୁ ବ୍ଲକ୍‌ରେ ବ୍ରଡ଼ବ୍ୟାଣ୍ଡ୍ ପହଁଚି ପାରି ନଥିବା ବେଳେ ମୋବାଇଲ୍ ଟେଲିକମ୍ ଜରିଆରେ ଯେଉଁ ସମ୍ଭାବନା ରହିଛି ତାହା ମଧ୍ୟ ବାସ୍ତବ ରୂପ ନେଇ ପାରୁ ନାହିଁ। କାରଣ ବିକଳ୍ପ ଶକ୍ତି ସଂଚାରଣ ସୁବିଧା ଅନେକ ମୋବାଇଲ୍ ଟାୱାରରେ ନାହିଁ । ସରକାରୀ କମ୍ପାନୀ ବିଏସ୍ଏନ୍ଏଲ୍‌ର ଟାୱାରରେ ନାମକୁ ମାତ୍ର ବ୍ୟାଟେରୀ ସୁବିଧା ରହିଥିବା ବେଳେ ବିଜୁଳି କଟିଲେ, ସବୁ ସେବା ଅଚଳ ହୋଇଯାଉଛି । ସେହିଭଳି ପ୍ରାଇଭେଟ୍ କମ୍ପାନୀ ଚାଳିତ ଟେଲିକମ୍ ଟାୱାରଗୁଡ଼ିକରେ ମଧ୍ୟ ବିଜୁଳି କଟିଲେ ଜେନେରେଟର ଚଳାଯାଉ ନଥିବାରୁ ଫୋନ୍ ସେବା ସହିତ ଇଂଟରନେଟ୍ ସେବା ଅଚଳ ହୋଇ ପଡୁଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜେନେରେଟର ପାଇଁ କମ୍ପାନୀ ଦେଉଥିବା ଇନ୍ଧନକୁ ଟାୱାର ଜଗିଥିବା ସ୍ଥାନୀୟ ଲୋକ ବା ଜମିମାଲିକ ହିଁ ବିକି ଦେଉଛନ୍ତି । ମୋବାଇଲ ବା କଂପ୍ୟୁଟର ଡିଭାଇସ୍‌ଗୁଡ଼ିକ ମଧ୍ୟ ମାନକୀକୃତ(Standradized) ହୋଇ ନଥିବାରୁ ସେଥିରେ ନାନାଦି ସମସ୍ୟା ରହିଛି । ଯେମିତିକି କି’ବୋର୍ଡ଼ ମାନକୀକରଣ ପାଇଁ କୌଣସି କଟକଣା ନଥିବାରୁ ଭାରତୀୟ ଟଙ୍କାର ସଂକେତ ମଧ୍ୟ ଆଜି ସୁଦ୍ଧା ସାର୍ବଜନୀନ ଭାବେ ବ୍ୟବହାର ହୋଇ ପାରୁ ନାହିଁ ।

    ଅପରେଟିଂ ସିଷ୍ଟମ୍(ଓଏସ୍) ସଫ୍ଟୱେରଗୁଡ଼ିକ ମୁଖ୍ୟତଃ ମାଇକ୍ରୋସଫ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଅଧିକାଂଶ କଂପ୍ୟୁଟରରେ ଚୋରା ଭର୍ସନ ରହିଥିବା ଦେଖିବାକୁ ମିଳୁଛି । ଫଳରେ ବୈଷୟିକ ନିରାପତ୍ତା କାରଣରୁ ସେଗୁଡ଼ିକ ଇ-ଗଭର୍ନାନ୍‌ସ୍‌ର କୌଣସି ଡୋମେନ୍‌କୁ ଖୋଲିବାରେ ବିଫଳ ହେଉଛି । ଏତେ ବଡ଼ ଦେଶ ହୋଇଥିବାରୁ ଭାରତର ନିଜର ଏକ ଅପରେଟିଂ ସିଷ୍ଟମ୍ ସଫ୍ଟୱେର ରହିବା କଥା । ତେବେ ଏପରି କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଦାୟିତ୍ୱବାହୀ ବିଭାଗ ଦାବି କରୁଥିଲେ ସୁଦ୍ଧା ତହିଁର ପ୍ରଚାର ହେଉନାହିଁ । ଅଥବା ସେହି OSରେ କୌଣସି ଆଳୁଦୋଷ ଥିବାରୁ ତହିଁର ପ୍ରଚାର ପ୍ରସାର କରାଯାଇ ପାରୁ ନାହିଁ । ଅନ୍ୟ ପକ୍ଷରେ ମାଗଣାରେ ମିଳୁଥିବା Linux ଅପରେଟିଂ ସିଷ୍ଟମକୁ ମଧ୍ୟ ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହୋଇନାହିଁ।

    ଭାରତରେ ବିକ୍ରୀ ହେଉଥିବା ମୋବାଇଲ୍ ଫୋନ୍ ହ୍ୟାଣ୍ଡ୍‌ସେଟ୍ ତଥା ସ୍ମାର୍ଟ୍‌ଫୋନରେ ଭାରତୀୟ ଭାଷା ନରହିବା ମଧ୍ୟ ଏକ ଗୁରୁତର ବିଡ଼ମ୍ବନା । ଭାରତୀୟ ମାନକ ବ୍ୟୁରୋ(BIS) ଟ୍ରାଇ(TRAI) ଭଳି ସଂସ୍ଥାମାନେ ଏହାକୁ ଅଣଦେଖା କରିବାରୁ ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକ କେବଳ ଖେଳଣା ସାମଗ୍ରୀ ଭଳି ଘରେ ଘରେ ରହିଛି । ଅଥଚ ଦେଶନିର୍ମାଣ ଓ ଦେଶର ଶାସନ ପରିଚାଳନାରେ ଲାଗି ପାରୁ ନାହିଁ ।

    ବାଲି, ଚିପ୍ସ କିଣିବା ପାଇଁ ଯେଉଁଭଳି ଭାବରେ ଏକାଧିକ ସଂସ୍ଥା ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥାଏ; ସଫ୍ଟୱେର ବନେଇବା ପାଇଁ ମଧ୍ୟ ସେହିଭଳି ଟେଣ୍ଡର ଆହ୍ୱାନ କରାଯାଇଥାଏ । ଫଳରେ କାର୍ଯ୍ୟାଦେଶ ପାଇବା ଉପରେ ଗୁରୁତ୍ୱ ବଢ଼େ ଏବଂ ସୃଜନଶୀଳତା ପ୍ରୟୋଗରେ ଜନତାଙ୍କୁ ସେବା ଯୋଗାଣ ପ୍ରସଙ୍ଗ ଫୁ ହୋଇଯାଏ । ରାଜଧାନୀ ଭୁବନେଶ୍ୱରରେ ଟିସିଏସ୍, ଇନ୍‌ଫୋସିସ୍, ଟେକ୍ ମହୀନ୍ଦ୍ରା, ମାଇଣ୍ଡ୍ ଟ୍ରି ଭଳି ବିଶ୍ୱସ୍ତରୀୟ ସଫ୍ଟୱେର କମ୍ପାନୀ ଥାଇ ସୁଦ୍ଧା ଓଡ଼ିଶାରେ ଇ-ଗଭର୍ନାନ୍‌ସ୍‌କୁ ସୁନିଶ୍ଚିତ କରିବା ଦିଗରେ କୌଣସି ଆଖିଦୃଶିଆ ଉଦ୍ୟମ ସମ୍ଭବତଃ ଉପରୋକ୍ତ କାରଣ ଯୋଗୁ ହୋଇ ପାରୁ ନାହିଁ । ଉପରୋକ୍ତ କମ୍ପାନୀଗୁଡ଼ିକ ବ୍ୟତୀତ ଓଡ଼ିଆଙ୍କ ନେତୃତ୍ୱରେ ପକ୍ଷ ବିସ୍ତାର କରିଥିବା କିଛି ନାମକରା ସଫ୍ଟୱେର କମ୍ପାନୀ ମଧ୍ୟ ପ୍ରାଶାସନିକ ପ୍ରକ୍ରିୟାର ଇନ୍ଦ୍ରଜାଲ ଭିତରେ ଫସିବାକୁ ବାଧ୍ୟ ହୁଅନ୍ତି । ଫଳରେ ଟଙ୍କା କାରବାର ହୁଏ ସିନା, ତାହା ସାଧାରଣ ନାଗରିକଙ୍କ ଖାସ୍ ସେବାରେ ଲାଗି ପାରେ ନାହିଁ । 

    ସରକାର ଯେତେ କଂପ୍ୟୁଟର କିଣି ଯେଉଁଠି ଲଗାଇଛନ୍ତି, ସେଗୁଡ଼ିକ ଖରାପ ହୋଇଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାରୁ, ଦୁର୍ନୀତିର ଲମ୍ବା ହାତ ଯୋଗୁ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଲଜ୍ଜିତ ହେବାର ପରିସ୍ଥିତି ଜଳଜଳ ଦେଖାଯାଉଛି। ଏଠାରେ ଆମ୍ଭେ ମୁଖ୍ୟ କାରଣଗୁଡ଼ିକୁ ଚର୍ଚାକୁ ଆଣିଛୁ । ବିଶ୍ୱାସ କରୁଛୁ ଯେ ଏହି ନିବନ୍ଧ ଆଧାରରେ ପ୍ରଶାସନ ବିଭିନ୍ନ ପ୍ରତିବନ୍ଧକଗୁଡ଼ିକୁ ପ୍ରତିହତ କରିବା ପାଇଁ ସଚେତନ ନାଗରିକମାନଙ୍କ ସହ ବିମର୍ଶ କରିବେ ।


    ବିମଳ ପ୍ରସାଦ, Call: 9937353293

    ମନ୍ତବ୍ୟଗୁଡିକ

    Unknown said…
    ଏହା ତଥ୍ୟ ଭିତ୍ତିକ ନିରାଟ ସତ୍ୟ ଅଟେ, ଏହି ଘଟଣା ରାଜ୍ୟବାସୀ ଉଣା ଅଧିକେ ଜାଣନ୍ତି, ଏବଂ ଚୁପ୍ ରହିବା ମଧ୍ୟ ଏକ ବିରାଟ ଅପରାଧ ବୋଲି ମୁ ଅନୁଭବ କରୁଛି

    ବିଶ୍ବ ରଞ୍ଜନ
    କୋରାପୁଟ
    Unknown said…
    the article is appreciated because this is true fact. let us see, what happened in this subject.

    thanking you,
    murali

    Popular posts from this blog

    ODIA TYPING EASY in WINDOWS7

    ବ୍ରହ୍ମପୁରରେ ହେବ ଆଇଜର

    Get Back Your Lost Mobilephone